ସମାଜରେ ଡାକ୍ତର ମାନଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ଦିନକୁ ଡାକ୍ତର ଦିବସ ଭାବେ ଭାରତରେ ପାଳନ କରାଯାଉଛି । ୧୮୮୨ ମସିହାର ଜୁଲାଇ ୧ ତାରିଖରେ ଡାକ୍ତର ବିଧାନଚନ୍ଦ୍ର ରାୟ ଜନ୍ମଗ୍ରହଣ କରିଥିଲେ । ଲୋକଙ୍କ ସେବା କରିବା ଏବଂ ସାଧାରଣ ଲୋକଙ୍କୁ ଏକ ନେତୃତ୍ୱର ରାସ୍ତା ଦେଖାଇବାରେ ଡାକ୍ତର ରାୟ ଥିଲେ ସିଦ୍ଧହସ୍ତ ।ସେ ତାଙ୍କ ଜୀବନକୁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିବା ସହ ସ୍ୱାଧୀନ ଚେତା, ସମାଜସେବୀ, ରାଜନେତା ଓ ମାନବ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିଲେ । ବର୍ତ୍ତମାନର ଭୌତିକ ପୃଥିବୀରେ ଡାକ୍ତରମାନଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଇଥାଏ ।
ଜଣେ ଡାକ୍ତରଙ୍କୁ ନିଜର ସେବା କରିବା ସହ କ୍ଲିନିକାଲ୍ ଏଷ୍ଟାବ୍ଲିଶ୍ମେଣ୍ଟ ଆକ୍ଟ, ପ୍ରଦୂଷଣ ଆଇନ, ଟ୍ରେଡ୍ ଲାଇସେନ୍ସ ଆଇନ, ହିଂସା ନିରୋଧୀ ଆଇନ, ଗ୍ରାହକ ସୁରକ୍ଷା ଆଇନ ପରି ଅନେକ ଆଇନର ବାଡ଼ରେ ବାନ୍ଧି ହେବାକୁ ପଡ଼ୁଛି, ଏସବୁଥିରୁ କୋହଳ ମିଳିବା ଦରକାର । ଅତ୍ୟଧିକ ନୀତି ନିୟମ ଦ୍ୱାରା ସବୁକିଛି ସମ୍ଭବ ନୁହେଁ । ଏହା ଦୀର୍ଘବର୍ଷ ହେଲା ପ୍ରମାଣିତ ହୋଇ ଆସୁଛି, ଆମକୁ ଚିନ୍ତା କରିବାକୁ ହେବ ।ସ୍ୱାସ୍ଥ୍ୟ ସେବା ତଥା ଡାକ୍ତରୀ ସେବାରେ ପ୍ରବେଶ କରୁଥିବା ପ୍ରଫେସନାଲ୍ଙ୍କୁ ନିୟନ୍ତ୍ରଣ କରାଯିବାର ଯଥେଷ୍ଟ ଆବଶ୍ୟକ ରହିଛି । ଏହାର ମୂଳ ଲକ୍ଷ୍ୟ ହେଉଛି ପ୍ରତି ମୁହୂର୍ତ୍ତରେ ତାଙ୍କୁ କର୍ତ୍ତବ୍ୟ ବିଷୟରେ ସଚେତନ କରାଇବା ।
ଦ୍ୱିତୀୟରେ ଆବଶ୍ୟକ ଭିତ୍ତିଭୂମି । ଭିତ୍ତିଭୂମିକୁ ପର୍ଯ୍ୟାପ୍ତ କରିବା ନାଁରେ ବିଭିନ୍ନ ଅଞ୍ଚଳରେ କୋଠାବାଡ଼ି ତିଆରି କରିଦେଲେ ହେବ ନାହିଁ । ଆବଶ୍ୟକ ଟେକ୍ନୋଲୋଜି, ଯନ୍ତ୍ରାଂଶ ଓ ଦକ୍ଷ ମାନବ ସମ୍ବଳ ନିୟୋଜନ କରାଯିବା ଆବଶ୍ୟକ। ଏହାଛଡ଼ା ସେଠାରେ ଯେଉଁ ଡାକ୍ତର ବା ଟେକ୍ନିସିଆନ୍, ଫାର୍ମାସିଷ୍ଟ କାର୍ଯ୍ୟ କରେିବ ତାଙ୍କର ଛୁଆପିଲା କେମିତି ଆବଶ୍ୟକ ଶିକ୍ଷା, ଯତ୍ନ ପାଇପାରିବେ ସେ ବାବଦରେ ମଧ୍ୟ ସରକାର ଜଚିନ୍ତ କରିବା ଦରକାର । ନହେଲେ ଜଣେ ଡାକ୍ତର କେମିତି ବଣ ଜଙ୍ଗଲରେ ସେବା କରିବେ? ତାଙ୍କ ପିଲାର ଭବିଷ୍ୟତକୁ ଅନିଶ୍ଚିତତା ଭିତରେ ଛାଡ଼ି ସେ ଡାକ୍ତରୀ ସେବା କରିବାକୁ ଆଗଭର ହେବ ବୋଲି ଆଶା କରିବା ବୃଥା । ଡାକ୍ତରମାନଙ୍କର ମଧ୍ୟ 'କେବଳ ସହର ଅଭିମୁଖୀ' ହେବାର ଚିନ୍ତାକୁ ବଦଳାଇବା ଦରକାର ।
ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଡାକ୍ତର-ରୋଗୀଙ୍କ ଭିତରେ ସମ୍ପର୍କ । ସେ ବିଶ୍ୱାସ, ସମ୍ପର୍କ ଆଉ ବାସ୍ତବଧର୍ମୀ ହୋଇ ନାହିଁ । ରୋଗୀ ଡାକ୍ତରଙ୍କୁ ନାଁ କୁ କେବଳ ଭବଗବାନ ବୋଲି କହୁଛି, କିନ୍ତୁ ଡାକ୍ତରର ଅସୁବିଧାକୁ ବୁଝୁ ନାହିଁ । ଡାକ୍ତରଙ୍କ ଅସହାୟତାକୁ ଜାଣିପାରୁ ନାହିଁ । ଏଥିପାଇଁ ରୋଗୀଙ୍କ ମନୋବୃତ୍ତି ବଦଳିବା ଆବଶ୍ୟକ । ସେମାନଙ୍କ ଭିତରେ ସଚେତନତା ବୃଦ୍ଧି ଜରୁରୀ ।